ମନୀଷ ସିସୋଦିଆଙ୍କ ପାଇଁ ଅନ୍ତରୀଣ ଆଶ୍ୱସ୍ତି: ଅସୁସ୍ଥ ପତ୍ନୀଙ୍କୁ ଘରେ ଭେଟିବାକୁ ମିଳିଲା ଅନୁମତି

Spread the love

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅନ୍ତରୀଣ ଆଶ୍ୱସ୍ତି ମିଳିଛି; କାରଣ ତାଙ୍କୁ ଜୁନ୍‌ ୩ ତାରିଖ ହେପାଜତରେ ଥିବା ବେଳେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଘରେ ଥିବା ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି।

ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଆସନ୍ତାକାଲି ସୁଦ୍ଧା ତାଙ୍କ ପତ୍ନୀଙ୍କ ମେଡିକାଲ ରେକର୍ଡ ମାଗିଛନ୍ତି। ସିସୋଦିଆଙ୍କ ପତ୍ନୀ ମସ୍ତିଷ୍କ ଓ କେନ୍ଦ୍ରୀୟ ସ୍ନାୟୁପ୍ରଣାଳୀର ସମ୍ଭାବ୍ୟ ଅକ୍ଷମ ରୋଗ ମଲ୍‌ଟିପଲ୍‌ ସ୍କ୍ଲେରୋସିସ୍‌ ରୋଗରେ ପୀଡ଼ିତା ଅଛନ୍ତି।

ଏହି ମାମଲାରେ ଗିରଫ ହେବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିବା ସିସୋଦିଆ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହାକୁ ଭେଟିପାରିବେ ନାହିଁ। ତାଙ୍କୁ ଇଣ୍ଟରନେଟ୍‌ ବ୍ୟବହାର କରିବାକୁ କିମ୍ବା ଗଣମାଧ୍ୟମ ସହ କଥାବାର୍ତ୍ତା କରିବାକୁ ମଧ୍ୟ ଅନୁମତି ମିଳିବ ନାହିଁ।

ତେବେ, ମନୀଷ ସିସୋଦିଆ ତାଙ୍କ ପତ୍ନୀଙ୍କ ଖରାପ ସ୍ୱାସ୍ଥ୍ୟକୁ ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଜାମିନ ଆବେଦନ ଉପରେ ଆଜି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ତିନି ଦିନ ତଳେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଫେବ୍ରୁଆରି ୨୬ରେ ସିବିଆଇ ଗିରଫ କରିଥିଲା। ତିହାର ଜେଲରେ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିବା ପରେ ମାର୍ଚ୍ଚ ୯ ତାରିଖରେ ଇଡି ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା।

ଦିଲ୍ଲୀ ସରକାର ନଭେମ୍ବର ୧୭,୨୦୨୧ରେ ଦିଲ୍ଲୀରେ ନୂତନ ମଦ ନୀତି ଲାଗୁ କରିଥିଲେ। କିନ୍ତୁ ନୁତନ ମଦ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ସେପ୍ଟେମ୍ବର ୨୦୨୨ରେ ଏହାକୁ ଉଚ୍ଛେଦ କରା ଯାଇଥିଲା। ସଂପ୍ରତି ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗରେ ବରିଷ୍ଠ ଆପ୍‌ ନେତାଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *