ୟୁଜିସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କ୍ଷୀତି ଭୂଷଣ ଦାସ

Spread the love

ଭୁବନେଶ୍ବର: ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ ଏକ ଉଚ୍ଚସ୍ତରୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ଏହି କମିଟିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୯ ଜଣିଆ ଶିକ୍ଷାବିତ୍ ରହିଛନ୍ତି।

ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଶିକ୍ଷକ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ଓ ଉଚ୍ଚଶିକ୍ଷା ମାନ ଉପରେ ଏହି ଷ୍ଟାଣ୍ଡିଂ କମିଟି ବିଶେଷ ନଜର ରଖିବ। ଏହା ସହିତ ଏମ୍ ଫିଲ୍ ବା ପିଏଚ ଡି ଡିଗ୍ରୀ ପ୍ରଦାନ ପାଇଁ ସର୍ବନିମ୍ନ ମାନକ ଏବଂ ପ୍ରକ୍ରିୟା ଉପରେ ୟୁଜିସି ନିୟମାବଳୀର ଉଲ୍ଲଂଘନକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ ଏହି ଷ୍ଟାଣ୍ଡିଂ କମିଟି ସର୍ବ ଭାରତୀୟ ସ୍ତରରେ ପରାମର୍ଶ ଦେବ।

ପ୍ରଫେସର ଦାସ ଦେଶରେ ଉଚ୍ଚ ଶିକ୍ଷାକୁ ଉନ୍ନତମାନର କରିବା ତଥା ୟୁଜିସି ନିୟମାବଳୀକୁ କଡ଼ାକଡ଼ି ଭାବେ ଦେଶର ସମସ୍ତ ଶିକ୍ଷା ଅନୁଷ୍ଠାନରେ ପାଳନ କରାଇବାର ଏତେ ବଡ଼ ଗୁରୁ ଦାୟିତ୍ବ ନେଇଥିବାରୁ ୟୁଜିସିକୁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ୟୁଜିସି ନିୟମାବଳୀ ପାଳନ ଶିକ୍ଷା ହିଁ ସମାଜକୁ ସୁଦୃଢ଼ କରିପାରିବ। ତେଣୁ ଶିକ୍ଷାନୁଷ୍ଠାନରେ ନିଯୁକ୍ତି ସମୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତାକୁ ଅଣଦେଖା କରାଯାଇପାରିବ ନାହିଁ। ଯଦି ଜଣେ ଶିକ୍ଷକଙ୍କୁ ଭୁଲ ଭାବେ ନିଯୁକ୍ତି ଦିଆଯାଏ, ତେବେ ସେ ସମାଜକୁ କ’ଣ ଦେବେ? ଏଥିସହ ପିଏଚ ଡି ଡିଗ୍ରୀକୁ ନେଇ ଅନେକ ଅଭିଯୋଗ ପଢ଼ିବା ଓ ଶୁଣିବାକୁ ମିଳୁଛି, ଯାହା ଏକ ଗମ୍ଭୀର ସମସ୍ୟା; ଏହାକୁ ହଟାଇବା ପାଇଁ ଆମର ଷ୍ଟାଣ୍ଡିଂ କମିଟି ଗମ୍ଭୀରତାର ସହ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତାର କଥାକୁ ଦୋହରାଉଛନ୍ତି ଏବଂ ଏହି ଷ୍ଟାଣ୍ଡିଂ କମିଟି ସୁନିଶ୍ଚିତ କରିବ ଯେ ଉଚ୍ଚଶିକ୍ଷା ଦିଗରେ ୟୁଜିସିର ନିୟମକୁ କୌଣସି ମତେ ଅଣଦେଖା କରାନଯାଏ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଯେମିତି ସର୍ବଦା ନ୍ୟାୟ ମିଳିବ ।

Leave a Reply

Your email address will not be published. Required fields are marked *