Puja Khedkar 143225180 16x9 0

UPSC ଠକେଇ ମାମଲା : ଗିରଫ ହେବେ କି ପୂଜା ଖେଡକର ?

Spread the love

ନୂଆଦିଲ୍ଲୀ : ପୂର୍ବତନ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିଛି। ୟୁପିଏସସି ଠକେଇ ମାମଲାରେ ଫସି ଆଇଏଏସ୍‌ ହେବାରୁ ବଞ୍ଚିତ ହୋଇଥିବା ପୂଜାଙ୍କ ଆଗୁଆ ଜାମିନ ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସେହିପରି ତାଙ୍କୁ ପୂର୍ବରୁ ଗିରଫଦାରୀରୁ ମିଳିଥିବା ସୁରକ୍ଷାକୁ ମଧ୍ୟ କୋର୍ଟ ହଟାଇ ଦେଇଛନ୍ତି। ତେଣୁ ୟୁପିଏସ୍‌ସି ପରୀକ୍ଷାରେ ଜାଲିଆତି କରିଥିବା ଅଭିଯୋଗରେ ଫସିଥିବା ପୂଜା ଗିରଫ ହେବାର ଆଶଙ୍କା ପ୍ରକାଶ ପାଇଛି।
ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଚନ୍ଦ୍ରଧାରୀ ସିଂହ ଆଜି ପୂଜାଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ ୟୁପିଏସ୍‌ସି ହେଉଛି ଗୋଟିଏ ପ୍ରତିଷ୍ଠିତ ପରୀକ୍ଷା। ଉଭୟ ସମାଜ ଓ ସଂଗଠନ ଉପରେ ଠକେଇର ପ୍ରଭାବ ପଡ଼ିଛି। ଏହା ପଛରେ ଥିବା ଷଡ଼ଯନ୍ତ୍ରକୁ ଉଜାଗର କରିବା ପାଇଁ ଜେରାର ଆବଶ୍ୟକତା ରହିଛି।
ଏହି ମାମଲାରେ ପ୍ରଦର୍ଶିତ କରାଯାଇଥିବା ଆଚରଣରୁ ପ୍ରାଥମିକ ଭାବେ ଜଣାପଡ଼ୁଛି ଯେ ସଂଗଠନ ସହ ଛଳନା କରାଯାଇଛି। ନକଲି ଦସ୍ତାବିଜ ଦ୍ୱାରା ଫାଇଦା ହାସଲ କରିବାକୁ କେହି ବି ହକଦାର ନୁହନ୍ତି ବୋଲି ଜଷ୍ଟିସ ସିଂହ ମତ ରଖିଛନ୍ତି।
ପୂଜା ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେପ୍ଟେମ୍ବର ୬ ତାରିଖରେ ପୂଜାଙ୍କୁ ଆଇଏସ ନିୟମ ୧୯୫୪ର ଧାରା ୧୨ ଅଧୀନରେ କେନ୍ଦ୍ର ସରକାର କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଥିଲେ।
ପୂଜା ବେଆଇନ ଭାବେ ଆଇଏଏସ୍‌ ପଦ ହାତେଇଥିବା ଜଣାପଡ଼ିବା ପରେ ପ୍ରଥମେ ୟୁପିଏସ୍‌ସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜୁଲାଇ ୩୧ରେ ୟୁପିଏସସି ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ବାତିଲ କରିଥିଲା ଓ ତାଙ୍କୁ ଭବିଷ୍ୟତରେ ପ୍ରଶାସନିକ ସେବାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲା।
ପୂଜା ଖେଡକର ପ୍ରଶାସନିକ ସେବା ପରୀକ୍ଷା ନିୟମ ୨୦୨୨କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେ ନିଜର ନକଲି ପରିଚୟ ଦେଇ ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି।
ପୂଜାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବା ସହ ତାଙ୍କ ବିରୋଧରେ ୟୁପିଏସ୍‌ସି ଅପରାଧିକ ମାମଲା ଚାଲୁ କରିଛି। ସେ ଠକେଇ, ଧୋକା ଓ ହେରଫେର କରିଥିବା ଅଭିଯୋଗ ହୋଇଛି। ୟୁପିଏସସିର ଏହି ନିଷ୍ପତ୍ତିକୁ ପୂଜା ଦିଲ୍ଲା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବାର ଅଧିକାର ୟୁପିଏସ୍‌ସିର ନାହିଁ ବୋଲି ସେ କହିଥିଲେ।
୨୦୨୩ ବ୍ୟାଚ୍‌ର ଆଇଏଏସ୍‌ ପୂଜାଙ୍କୁ ପୁଣେରେ ଟ୍ରେନି ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା। ତେବେ ସେ କ୍ଷମତାର ଅପବ୍ୟହାର କରିଥିବା ଅଭିଯୋଗ ଆସିଥିବା ପରେ ତାଙ୍କୁ ୱାସିମଙ୍କୁ ବଦଳି କରାଯାଇଥିଲା। ପରେ ସେ ନିଜ ନାଁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ଆସିଥିଲା।

Leave a Reply

Your email address will not be published. Required fields are marked *