Drpcxysatrk7nauclvkv

ନୂଆ ରୂପ ପାଇଲା ଯାଜପୁରର ଏନ୍‌ସି ସ୍ୱୟଂଶାସିତ କଲେଜ୍‌ର ବିଜ୍ଞାନ ବିଭାଗ

Spread the love

ଯାଜପୁର: ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେବାରେ କଲେଜ ଶିକ୍ଷାର ଏକ ବଡ଼ ଭୂମିକା ରହିଛି। ଏଥିପାଇଁ ବିଭିନ୍ନ କଲେଜର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଯାଜପୁରର ନରସିଂହ ଚୌଧୁରୀ (ଏନ୍‌ସି) ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗକୁ ଆଧୁନିକ ରୂପ ଦିଆଯାଉଛି। ଫଳରେ ଏଠାରେ ଯେଉଁ ଶିକ୍ଷଣୀୟ ପରିବେଶ ସୃଷ୍ଟି ହୋଇଛି ତାହା ଆଜି ଯାଜପୁର ସହିତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣ ସାଜିଛି।

ଓଡ଼ିଶାରେ ଥିବା ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ ଭିତରେ ଯାଜପୁରର ଏନ୍‌ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ୧୯୪୬ରେ ସ୍ଥାପିତ ଏହି ପୁରାତନ ମହାବିଦ୍ୟାଳୟକୁ ୧୯୯୯ ମସିହାରେ ସ୍ୱୟଂଶାସିତ ମାନ୍ୟତା ମିଳିବା ପରେ ଏଠାରେ ବିଭିନ୍ନ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯିବା ସହିତ କଲେଜର ଭିତ୍ତିଭୂମିକୁ ଉନ୍ନତିକରଣ କରିବା ଉପରେ ପ୍ରାଥମିକତା ଦିଆଯାଉଛି। ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ ପାଠ ପଢ଼ିବା ପାଇଁ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ଆଗ୍ରହ ଦେଖାଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ବିଭାଗକୁ ନୂଆ ରୂପ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଠାରେ ନୂତନ କ୍ଲାସରୁମ୍ ଓ ଉନ୍ନତ ମାନର ଲାବୋରେଟୋରି ସ୍ଥାପନ କରାଯାଇଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଇଛି।

ସେହିପରି ଏହି ନୂତନ କୋଠାରେ ବିଭାଗୀୟ ମୁଖ୍ୟ ଓ ରିସର୍ଚ୍ଚ ଆସୋସିଏଟ୍ ରୁମ୍ ରହିଛି। ତା’ଛଡ଼ା କନଫରେନ୍ସ ଓ ଲାଇବ୍ରେରି ହଲ୍ ସହିତ କମ୍ପ୍ୟୁଟର ଲ୍ୟାବ୍ ଓ ରେକର୍ଡ ରୁମ୍ ମଧ୍ୟ କରାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ଏକ ପ୍ରତୀକ୍ଷା ଗୃହ, ପାନୀୟ ଜଳ ଯୋଗାଣ ଏବଂ ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଓମ୍ବାଡସି ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି।

‘‘ବିଜ୍ଞାନ ବିଭାଗରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଥିଓରି ସହିତ ପ୍ରାକ୍ଟିକାଲ ଶିକ୍ଷାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଓମ୍ବାଡସି ସହାୟତାରେ ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଇଛି। ଏଠାରେ ଆଧୁନିକ ବିଜ୍ଞାନାଗାର ସ୍ଥାପନ ହେବା ଯୋଗୁଁ ପ୍ରାକ୍ଟିକାଲ ପାଇଁ ଆଗରୁ ଯେଉଁ ସମସ୍ୟା ରହିଥିଲା ତାହା ଦୂର ହୋଇପାରିଛି। ଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ଗବେଷଣା କରିବାର ସୁଯୋଗ ପାଉଛନ୍ତି,’’ କହିଛନ୍ତି ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରଞ୍ଜନ କୁମାର ବେହେରା।

ଏନ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ ଆଧୁନିକ ଭିତ୍ତିଭୂମି ନିର୍ମାଣ ହେବା ଫଳରେ ଏଠାରେ ପାଠ ପଢ଼ିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଆଗ୍ରହ ଦେଖାଉଛନ୍ତି। ପ୍ରତିବର୍ଷ ୫୦୦ରୁ ଅଧିକ ସ୍ନାତକ ଓ ୧୯୦ରୁ ଅଧିକ ସ୍ନାତୋକତ୍ତର ଛାତ୍ରଛାତ୍ରୀ ଏଠାରେ ପାଠପଢ଼ି ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇପାରୁଛନ୍ତି।

Leave a Reply

Your email address will not be published. Required fields are marked *