Image 2024 12 18t185230.099

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ୍ ଉଚ୍ଚତାରେ ଉଡିଲା ଜାତୀୟ ପତାକା

Spread the love

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାର ଖମ୍ବ ଉପରେ ୨୫ ଫୁଟ୍ ଲମ୍ବ ଓ ୨୪ ଫୁଟ୍ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ସମସ୍ତ ପ୍ରୋଟୋକଲ ଅନୁଯାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଏହା ବ୍ୟତୀତ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଫ୍ଲାଗ୍ ଇଣ୍ଡିଆ ପ୍ରତିଷ୍ଠାନର ପ୍ରୋତ୍ସାହନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏହାକୁ ଆୟୋଜନ କରିଥିଲେ ।

ସଭାରେ ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ମା’ ରମାଦେବୀ ସମଗ୍ର ଦେଶରେ ପରିଚିତ ଏବଂ ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍ । ମାତୃଶକ୍ତି ଚିରବନ୍ଦନୀୟ । ଏହି ପରିପ୍ରେକ୍ଷୀରେ ସେ ରାମାୟଣର ମାତା ସୀତାଙ୍କ କଥା ଉଲ୍ଲେଖ କରିଥିଲେ । ବେଦପୁରାଣରେ ମଧ୍ୟ ଦେବଦେବୀମାନଙ୍କୁ ସେମାନଙ୍କ ମା’ଙ୍କ ପରିଚୟରେ ଜଣା ଯାଉଥିଲା । ସେହିଭଳି ଭାରତ ବର୍ଷରେ ଆମେ ମାତୃଭୂମିକୁ ମଧ୍ୟ ମା’ ବୋଲି ମାନି ଆରାଧନା କରିଥାଉ । ଓଡ଼ିଶାର ଇତିହାସ ଅତି ସମୃଦ୍ଧ । ନାରୀଜାତିର ଅଗ୍ରଗତି ଆମ ଇତିହାସର ମୂଳ ପିଣ୍ଡରେ ଅଛି ବୋଲି ସେ କହିଥିଲେ । ଏହା ଆମ ଇତିହାସ ଓ ସଂସ୍କୃତିର ଶକ୍ତି । ଛାତ୍ରୀଙ୍କୁ ଦେଶ ତଥା ବିଶ୍ୱର ଇତିହାସ ଜାଣିବା ସହ ଓଡ଼ିଶାର ଗୌରବମୟ ଇତିହାସ ଜାଣିବାକୁ ସେ ପରାମର୍ଶ ଦେଇଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଭାବେ ଗର୍ବ ଅନୁଭବ କରନ୍ତି ବୋଲି କହିବା ସହ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ପତାକା ଆରୋହଣ ବର୍ଷ ତମାମ୍‌ ଛାତ୍ରୀମାନଙ୍କ ମଧ୍ୟରେ ଜାତୀୟତାବାଦ ଉଦ୍ରେକ କରିବ ବୋଲି କହିଥିଲେ ।

ସାଂସଦ ତଥା ଫ୍ଲାଗ୍ ଇଣ୍ଡିଆ ପ୍ରତିଷ୍ଠାନର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ବକ୍ତବ୍ୟ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ସେ ୧୫୮ତମ ଜାତୀୟ ପତାକା ଧ୍ୱଜା ରୋହଣ ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇଥିଲେ ତଥା ମା’ ରମାଦେବୀଙ୍କ ତ୍ୟାଗ ଓ ଆଦର୍ଶକୁ ସ୍ମରଣ କରିଥିଲେ ।

କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ମେଜର ଅସୀମ କୋହଲି ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *