Image 1733655127 1

ଡ୍ରେନ୍ କାମ ବେଳେ ଜଣେ ଶ୍ରମିକ ମୃତ, ୨ ଗୁରୁତର

Spread the love

କଟକ: ଡ୍ରେନ୍ କାମବେଳେ ଅଘଟଣ। ପୁଣି କଟକରେ ଡ୍ରେନରେ ଯାଇଛି ଜୀବନ। କଟକରେ ଡ୍ରେନ କାମ ସମୟରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର। କଟକର ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଏହି ଅଘଟଣ ଘଟିଛି। ସିଏମସିର ଡ୍ରେନ୍ କାମବେଳେ ପାଖରେ ଥିବା କାନ୍ଥ ଭୁଶୁଡ଼ିବାରୁ ଏହି ଦୁଇ ଶ୍ରମିକ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଘଟଣା ନେଇ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ଏନେଇ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନା ଅନୁସାରେ, ଘଟଣାସ୍ଥଳରେ ମୋଟ ୫ ଜଣ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଶ୍ରମିକ ମଧ୍ୟ ଥିଲେ। କାର୍ଯ୍ୟସ୍ଥଳୀରେ କୌଣସି ଠିକାଦାର କିମ୍ବା  ଅଧିକାରୀଙ୍କର ଉପସ୍ଥିତି ନଥିବା ଜାଣିବାକୁ ମିଳିଛି। ଡ୍ରେନ ନିକଟରେ ବିପଦସଙ୍କୁଳ ଏକ କାନ୍ଥ ରହିଥିଲା। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏହି କାନ୍ଥ ସମ୍ପର୍କରେ ଶ୍ରମିକମାନଙ୍କୁ ବାରମ୍ବାର ସ୍ଥାନୀୟ ଲୋକେ ସତର୍କ କରାଇଥିଲେ। ଏସବୁ କହିବା ପରେ ମଧ୍ୟ ଶ୍ରମିକମାନେ କୌଣସି ସାବଧାନତା ଅବଲମ୍ବନ କରିନଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, କଟକ ସହରରେ ମୁକୁଳା ଡ୍ରେନ୍‌ ପ୍ରମୁଖ ସମସ୍ୟା ପାଲଟିଛି। ଏହି କାରଣରୁ କିଛି ମାସ ମଧ୍ୟରେ ଏକାଧିକ ଲୋକଙ୍କର ଜୀବନ ମଧ୍ୟ ଯାଇଛି। ଗତବର୍ଷ ଜୁଲାଇ ୧୯ ତାରିଖରେ ମଧ୍ୟ ଜ‌ଣଙ୍କର ମୃତ୍ୟୁ ହୋଇଥିଲା। ବକ୍ସିବଜାର ଅଞ୍ଚଳରେ ଡ୍ରେନ୍‌ ନିକଟରେ ସଫେଇ କାମ କରୁଥିବା ବେଳେ ଖସି ପଡ଼ିବାରୁ ନରସିଂହା ରାଓ ନାମକ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ନାବାଳକ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବାରୁ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *