Image 1733302180

ବାପା, ମା’ ଓ ଝିଅଙ୍କୁ ଛୁରୀ ଭୁଷି ହତ୍ୟା

Spread the love

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ନେବ ସରାୟରେ ଆଜି ସକାଳେ ଜଣେ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଉଛନ୍ତି – ରାଜେଶ (୫୩), କୋମଲ (୪୭) ଓ କବିତା (୨୩)।
ମିଳିଥିବା ରିପୋର୍ଟ ଅନୁଯାୟୀ, ରାଜେଶଙ୍କ ପୁଅ ଆଜି ସକାଳ ପ୍ରାୟ ୫ଟା ବେଳେ ମର୍ଣ୍ଣିଂ ୱାକ୍‌ରେ ବାହାରି ଯାଇଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ବାପା, ମା ଓ ଭଉଣୀଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିଲା। ସେମାନଙ୍କୁ ସମସ୍ତଙ୍କୁ ଛୁରୀ ବା କୌଣସି ଧାରୁଆ ଅସ୍ତ୍ରରେ ଭୁଷି ଦିଆଯାଇଥିଲା।
ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଘରୁ କୌଣସି ଜିନିଷ ଚୋରି ହୋଇନାହିଁ କିଛି ଭଙ୍ଗାରୁଜା କରାଯାଇନାହିଁ।
ମୃତ ରାଜେଶଙ୍କର ଜଣେ ପଡ଼ୋଶୀ କହିଛନ୍ତି, ତାଙ୍କ ପୁଅର ପାଟି ଶୁଣି ଆମେ ଦୌଡ଼ି ଆସିଥିଲୁ। ସେ କହିଥିଲେ ଯେ ସେ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ଫେରିବା ପରେ ତାଙ୍କ ବାପା, ମା ଓ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ଆଜି ତାଙ୍କ ବାପାମା’ଙ୍କ ବିବାହ ବାର୍ଷିକୀ ଥିଲା ବୋଲି ସେ କହିଥିଲେ। ସେମାନଙ୍କୁ ଅଭିନନ୍ଦନ ଜଣାଇବା ପରେ ସେ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦିଲ୍ଲୀର ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ଅତିଶି ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ସେ ତାଙ୍କ ଏକ୍ସରେ ଲେଖିଛନ୍ତି ଯେ ଆଜି ସକାଳେ ନେବ ସରାୟରେ ଏକ ହତ୍ୟାକାଣ୍ଡ ଘଟିଛି। ଦିଲ୍ଲୀରେ ଦିନ ବେଳେ ଲୋକଙ୍କୁ ହତ୍ୟା କରାଯାଉଛି, ଗୁଳି ଫୁଟା ଯାଉଛି ଓ ଖୋଲାଖୋଲି ନିଶା କାରବାର ହେଉଛି। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କର କେବଳ ଗୋଟିଏ ଦାୟିତ୍ୱ ଅଛି। ତାହା ହେଉଛି, ଦିଲ୍ଲୀବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା। କିନ୍ତୁ ସେଥିରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।
ସେହିଭଳି ଆପ୍‌ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଏକ୍ସ ପୋଷ୍ଟ ଜରିଆରେ କହିଛନ୍ତି ଯେ ଗୋଟିଏ ଘରେ ତିନି ଜଣଙ୍କୁ ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ପ୍ରତ୍ୟେକ ଦିନ ଦିଲ୍ଲୀବାସୀ ସକାଳୁ ଉଠିଲେ ଏମିତି ଖବର ପାଉଛନ୍ତି। ଅପରାଧୀମାନଙ୍କୁ ଖୋଲା ଛାଡ଼ି ଦିଆଯାଇଛି। ଆଇନ ଓ ଶୃଙ୍ଖଳା ବ୍ୟବସ୍ଥା ପୂରା ଭୁଶୁଡ଼ି ପଡ଼ିଛି। ଘରଗୁଡ଼ିକୁ ଭାଙ୍ଗି ଦିଆଯାଉଛି। ନିରୀହ ଲୋକଙ୍କ ଜୀବନ ଯାଉଛି। ଯେଉଁମାନେ ଏଥିପାଇଁ ଦାୟୀ, ସେମାନେ ଚୁପ୍ ହୋଇ ବସିଛନ୍ତି ଓ ସବୁ ଦେଖୁଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ୍ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରେ।

Leave a Reply

Your email address will not be published. Required fields are marked *