Baby 750x430

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

Spread the love

ରେଢ଼ାଖୋଲ: ବୟସ ଖୁବ୍ କମ୍ । ଭଲ ପାଠ ପଢୁଥିଲେ । ଏଇ ତ ଅଳ୍ପ କେଇଟା ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା । ତାପରେ କଲେଜ ଥାଇଥାନ୍ତେ । ପାଠ ପଢି ଚାକିରିଟିଏ କରି ଭବିଷ୍ୟତରେ ନିଜ ପାଦରେ ନିଜେ ଠିଆ ହୋଇଥାନ୍ତେ । ହେଲେ ମାଟ୍ରିକ୍‌ ପରୀକ୍ଷା ଦେବା ପୂର୍ବରୁ ଏଇ କଅଁଳ ବୟସରେ ଜନ୍ମ ଦେଲେ ଏକ କଅଁଳ ଛୁଆକୁ । ଶୁଣିକି ଚକିତ ଲାଗୁଥିଲେ ବି କଥାଟା ପୁରା ସତ ।

ମାଆ ହେଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ନାବାଳିକା ଛାତ୍ରୀ । ଗତ ଶୁକ୍ରବାର ରାତିରେ ନିଜ ଘରେ ଏକ ଶିଶୁକନ୍ୟାକୁ ଜନ୍ମ ଦଇେଛନ୍ତି ନାବାଳିକା । ହେଲେ ସବୁଠାରୁ ବଡ କଥା ଏ ସମ୍ପର୍କରେ କିନ୍ତୁ ବାପା-ମାଆ କିମ୍ବା ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ କେହିବି କିଛି ଜାଣିପାରିଲେ ନାହିଁ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲାରେ ।

ଯାହା ସୂଚନା ମିଳିଛି, ଜିଲ୍ଲାର ନାକଟିଦେଉଳ ଥାନା ଅଞ୍ଚଳରେ ଏକ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ ଛାତ୍ରୀ । ପ୍ରତିଦିନ ସ୍କୁଲ୍ ଯାଉଥିଲେ । ଆଉ କିଛି ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା । କିନ୍ତୁ ନାବାଳିକା ଜଣଙ୍କ ମନ ପାଠରେ ନଥିଲା ଥିଲା ଗର୍ଭରେ ବଢୁଥିବା ଶିଶୁଟି ଉପରେ । ଭୟରେ କାହାକୁ କିଛି କହିପାରୁନଥିଲେ ।

ଏହାରି ଭିତରେ ଗର୍ଭସ୍ଥ ଶିଶୁକୁ ୯ ମାସ ହୋଇଯାଇଥିଲା । ଆଉ ଦେଖୁ ଦେଖୁ ଗତ ଶୁକ୍ରବାର ରାତିରେ ହଠାତ୍‌ ଗର୍ଭ ଯନ୍ତ୍ରଣା ହୋଇଥିଲା ଛାତ୍ରୀଙ୍କର । ପ୍ରଥମେ ପରିବାର ଲୋକେ କିଛି ଜାଣିପାରିନଥିଲେ । ଆଉ ଜାଣିଲା ବେଳକୁ ନିଜ ନାବାଳିକା ଝିଅ ଗର୍ଭରୁ କନ୍ୟା ସନ୍ତାନ ଜନ୍ମ ହୋଇସାରିଥିଲା । ଏହା ପରେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ପରିବାର ଲୋକ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏ ଛୁଆର ବାପା କିଏ?

ଏପଟେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡ଼ି ଓ ଆଶା କର୍ମୀ ନାବାଳିକା ମାଆ ଏବଂ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ନାକଟିଦେଉଳ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ଉଭୟ ମାଆ ଏବଂ ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମଳିଛି ।

ଅପରପଟେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନାକଟିଦେଉଳ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସମ୍ପୃକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛନ୍ତି । ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି କି, ସମୟ ଗଡୁଥିବା ସହିତ ନାବାଳିକାଙ୍କର ଶରୀରର ଗଠନ ବି ବଦଳୁଥିଲା ହେଲେ କେମିତି କିଏ ଜାଣିପାରିଲେନି କି ନାବାଳିକା ଜଣଙ୍କ ଗର୍ଭବତୀ ଅଛନ୍ତି ବୋଲି? ନାବାଳିକାଙ୍କର ଏଭି ଅବସ୍ଥା ପଛରେ କିଏ ତାକୁ ତୁରନ୍ତ ଧରିବାକୁ ସାଧାରଣରେ ଦାବି ଜୋର୍ ଧରିଛି ।

Leave a Reply

Your email address will not be published. Required fields are marked *