Nayagarh 1 750x430

ଡାକ୍ତରଖାନାରୁ ଶିଶୁ ପୁତ୍ର ଗାଏବ ଘଟଣା, ମିଛରେ କାନ୍ଦୁଥିଲେ ମହିଳା

Spread the love

ନୟାଗଡ : ଜଣେ ମହିଳାଙ୍କର ପ୍ରସବ ହେବାର କିଛି ସମୟର ଘଟଣା । ମେଡିକାଲରେ ଭୋ ଭୋ ହୋଇ କାନ୍ଦୁଥାଏ ମା’ ଜଣକ । କହୁଥାଆନ୍ତି ମୋ ପୁଅକୁ କିଏ ଚୋରି କରି ନେଇଯାଇଛି । ମୋ ପୁଅକୁ ମୋତେ ଆଣି ଦିଅ । ଆଉ ମୋବାଇଲରେ ଉଠାଇଥିବା ଜନ୍ମକଲା ଶିଶୁପୁତ୍ରର ଫଟୋଟିକୁ ଦେଖାଉଥାଆନ୍ତି। ଏହି ଘଟଣାକୁ ପୁରା ମେଡିକାଲରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଆଉ ଏହି ଘଟଣାକୁ ନେଇ ତନାଘନା ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏତେସବୁ ପରେ ଯେଉଁ ସତ ସାମ୍ନାକୁ ଆସିଥିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ରହିବେ। ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା କି ମହିଳାଙ୍କର ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। କୌଣସି ସତ୍ୟତା ନାହିଁ । କୁଆଡ଼େ ମିଛ କାନ୍ଦ କାନ୍ଦୁଥିବା ଏଇ ମହିଳାଙ୍କର ନା ମେଡିକାଲରେ ପ୍ରସବ ହୋଇଛି ନା ନବଜାତ ଜନ୍ମ ନେଇଛି । ଏହି ପିଲା ଚୋରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସଡିପିଓ ।

ତେବେ ଗତକାଲି ଆମେ ଖବର ପରିବେଷଣ କରିଥିଲୁ ମେଡିକାଲରେ ଜନ୍ମ ହେବାର କିଛି ସମୟ ପରେ ନବଜାତ ଶିଶୁକୁ କିଏ ତା ମା ପାଖରୁ ଚୋରାଇ ନେଇଥିଲା ବୋଲି । ତାକୁ ନେଇ ପୁରା ମେଡିକାଲରେ ତନାଘନା ହୋଇଥିଲା  l ପରେ ସବୁ ସତ ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଜ଼ିଲ୍ଲା ବୋଲଗଡ଼ ବ୍ଲକ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ା ପ୍ରସବ ଜନିତ ଯନ୍ତ୍ରଣା ଭୋଗିବାରୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ l ସେଠାରେ ତାଙ୍କର ନବଜାତ ଶିଶୁ ଜନ୍ମ ହୋଇଥିଲା l ହେଲେ କିଛି ସମୟ ପରେ ନବଜାତ ଶିଶୁ ଗାଏବ ନେଇ ଅଭିଯୋଗ କରିଥିଲେ ମା ସୁଧୀସ୍ମିତା । ଶିଶୁ ପୁତ୍ରକୁ କିଏ ଚୋରି କରି ନେଇଥିବା ପରିବାର ଲୋକେ ମଧ୍ୟ ଅଭିଯୋଗ ଆଣିଥିଲେ l କିଛି ସମୟ ପାଇଁ ମେଡିକାଲରେ ଉତେଜନା ଲାଗି ରହିଥିଲା।

ନୟାଗଡ SDPO, ସୁନାଖଳା ମେଡିକାଲ କତୃପକ୍ଷ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଥିଲେ। SDPO ସୁଦର୍ଶନ ଗଙ୍ଗୋଇ ମେଡ଼ିକାଲ୍‌ରେ ତନାଘନା କରିବା ପରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ। ସିସିଟିଭି ଯାଞ୍ଚ ବେଳେ ପିଲା ହୋଇଥିବା ନେଇ କୌଣସି ପ୍ରମାଣ ମିଳିନଥିଲା। ଅଭିଯୋଗ ଆଣିଥିବା ସୁଧୀସ୍ମିତା ମେଡ଼ିକାଲ୍‌ରେ ଆଡ୍‌ମିଟ୍‌ ହୋଇନଥିବା ଜଣାପଡ଼ିଥିଲା। ଯାଞ୍ଚ ପରେ ଘଟଣା ସମ୍ପୂର୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା । ତେବେ ମହିଳାଙ୍କ ସ୍ବାମୀ କହିବା ଅନୁସାରେ ମୋ ସ୍ତ୍ରୀଙ୍କର ଓଟିରେ ପ୍ରସବ ହୋଇଛି ବୋଲି । ଏଠି ପ୍ରଶ୍ନ ଉଠୁଛି, ଜଣେ ଯଦି ମେଡ଼ିକାଲ୍‌ରେ ଆଡ୍‌ମିଟ୍‌ ହୋଇନି, ତାହାହେଲେ ଓଟିରେ ପ୍ରସବ କଲେ କେମିତି?

ଏନେଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଜଗଦୀଶ ଚନ୍ଦ୍ର ଜେନା କହିଛନ୍ତି, ମେଡ଼ିକାଲ୍‌ରେ ଲାଗିଥିବା ସିସି ତଥ୍ୟ ଅନୁସାରେ ଛୁଆ ଚୋରି ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମହିଳାଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ମହିଳା ଜଣକ ୯ଟା ୩୯ ମିନିଟ୍‌ରେ ମେଡ଼ିକାଲ୍‌ରେ ପ୍ରବେଶ କରିଥିଲେ। ମେଡ଼ିକାଲ୍‌ ଲବିରେ ୨୦ ମିନିଟ୍‌ ଧରି ବସିଥିଲେ। ୯ ଟା ୫୯ ମିନିଟ୍‌ରେ ସେମାନେ ସିଡିରେ ପ୍ରଥମ ମହଲାକୁ ଯାଇଥିଲେ। ସେଠାରେ ଲେବର ରୁମ୍‌ ଆଗରେ ପ୍ରାୟ ୨୦ରୁ ୨୫ ମିନିଟ୍‌ ଧରି ବସି ଥିଲେ। ପରେ ଗ୍ରାଉଣ୍ଡ ଫ୍ଲୋରକୁ ଫେରି ଆସିଥିଲେ। ତା’ପରେ ସେ ଶୌଚାଳୟକୁ ଯାଇଥିଲେ। ପ୍ରାୟ ୧୦ଟା ୨୫ ମିନିଟ୍‌ରେ ଶୌଚାଳୟରୁ ବାହାରି ଛୁଆ ଚୋରି ହୋଇଥିବା ଅଭିଯୋଗ କରିଥିଲେ। ମହିଳା ଜଣକ ଲେବର ରୁମ୍‌ରେ ପଶି ନାହାନ୍ତି। ସେ ଓପିଡି ଟିକଟ ନେଇନାହାନ୍ତି କି କୌଣସି ଡାକ୍ତରଙ୍କ ପରାମର୍ଶ ନେଇନାହାନ୍ତି। ଏ ସବୁ ତଥ୍ୟ ସିସିଟିଭିରେ କଏଦ ହୋଇଛି ବୋଲି ମେଡ଼ିକାଲ୍‌ ଅଧିକ୍ଷକ କହିଛନ୍ତି।

ତେବେ ମେଡିକାଲକୁ ବଦନାମ କରିବା ପାଇଁ ଏଭଳି କରାଯାଇଥିବା ମେଡିକାଲ କତୃପକ୍ଷ କହିଛନ୍ତି। ମେଡିକାଲ କତୃପକ୍ଷ ଏନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବେ ବୋଲି SDPO କହିଛନ୍ତି ।

Leave a Reply

Your email address will not be published. Required fields are marked *