Joixp93tupy8sydrildn

ଭାରତ ୨-୦ରେ ସିରିଜ୍ ଜିତିଲା

Spread the love

କାନପୁର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ କାନପୁରରେ ୭ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି। ବାଂଲାଦେଶ ଟିମ୍ ଇଣ୍ଡିଆକୁ ୯୫ରନ୍‌ର ଟାର୍ଗେଟ ଦେଇଥିଲା। ତେବେ ଭାରତୀୟ ଦଳ ତିନି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ମ୍ୟାଚର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଲଗାତାର ଦୁଇ ଦିନ ବର୍ଷା ହୋଇଥିଲା। ବର୍ଷା ହେବ ବୋଲି କେହି ଆଶା କରି ନ ଥିଲେ, କିନ୍ତୁ ରୋହିତଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା।
ଯଶସ୍ୱୀ ଜୈସ୍ୱାଲ ଅର୍ଦ୍ଧଶତକୀୟ ପାଳି ଖେଳି ଥିବାବେଳେ ବିରାଟ କୋହଲି ଅପରାଜିତ ରହି ୨୯ ରନ୍ ସଂଗ୍ରହ କରିଥିଲେ। ବାଂଲାଦେଶ ଦୁଇଟି ଇନିଂସରେ ୨୩୩ ଏବଂ ୧୪୬ ରନ୍ କରି ଥିବାବେଳେ ଭାରତ ପ୍ରଥମ ଇନିଂସରେ ୨୮୫ ଏବଂ ଦ୍ୱିତୀୟ ଇନିଂସରେ ଟାର୍ଗେଟ ପୂରା କରି ମ୍ୟାଚ୍ ସହ ସିରିଜ୍ ଜିତି ନେଇଛି।
କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ବର୍ଷା ସାଜିଥିଲା ବାଧକ। ପ୍ରଥମ ଦିନ ଖେଳ ପରେ ଅଢେଇ ଦିନ ବର୍ଷା ଲାଗି ରହିଥିଲା। ବାଂଲାଦେଶ ପ୍ରଥମେ ପାଳି ଆରମ୍ଭ କରି ପ୍ରଥମ ଦିନରେ ୧୦୭ ରନ୍ କରିଥିଲା। ଏହାପରେ ବର୍ଷା ଛାଡିବା ପରେ ଚତୁର୍ଥ ଦିନରେ ପୁନର୍ବାର ମ୍ୟାଚ୍ ଆରମ୍ଭ ହୋଇଥିଲା।
ପ୍ରଥମ ଇନିଂସରେ ବାଂଲାଦେଶ ୨୩୩ ରନ୍ କରି ଥିବାବେଳେ ଭାରତ ୨୮୫ ରନ୍ କରିଥିଲା। ବାଂଲାଦେଶ ଦ୍ୱିତୀୟ ଇନିଂସ ଖେଳି ୯୫ ରନ୍ ଟାର୍ଗେଟ ଦେଇଥିଲା। ଭାରତ ଏହାକୁ ସହଜରେ ଜିତି ନେଇଛି। ଯଶସ୍ୱୀ ଜୈସ୍ୱାଲ ୫୧ ରନ୍ କରି ଥିବାବେଳେ ବିରାଟ କୋହଲି ଏବଂ ଋଷବ ପନ୍ତ ଅପରାଜିତ ରହି ଯଥାକ୍ରମେ ୨୯ ଏବଂ ୪ ରନ୍ କରିଥିଲେ।
ସେହିପରି ରୋହିତ ଶର୍ମା ୮ ଏବଂ ଶୁବମନ ଗିଲ୍ ୬ ରନ୍ କରିଥିଲେ। ଭାରତ ୧୭.୨ ଓଭରରେ ଏହି ମ୍ୟାଚ୍ ସହ ସିରିଜ୍ ବିଜୟୀ ହୋଇଛି।
ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ନୂତନ ଶିଖରକୁ ଛୁଇଁଛି। ଅନ୍ୟପକ୍ଷରେ ବାଂଲାଦେଶ ଦଳ ବହୁ କ୍ଷତି ସହିଛି।
କାନପୁର ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ପଏଣ୍ଟ ପର୍ସେଣ୍ଟେଜ ସିଷ୍ଟମ (ପିସିଟି) ୭୧.୬୭ ଥିଲା, ଯାହା ଏହି ମ୍ୟାଚ ଜିତିବା ପରେ ବର୍ତ୍ତମାନ ୭୪.୨୪ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବାଂଲାଦେଶ ବର୍ତ୍ତମାନ ସିଧା ସପ୍ତମ ସ୍ଥାନକୁ ଖସି ଆସିଛି।
ଅନ୍ୟ ଦଳ ବିଷୟରେ କହିବାକୁ ଗଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ଦଳର ପିସିଟିବର୍ତ୍ତମାନ ୬୨.୫୦ ରହିଛି। ଡବ୍ଲୁଟିସି ଫାଇନାଲ ପୂର୍ବରୁ କଙ୍ଗାରୁ ଦଳକୁ ଭାରତ ଏବଂ ଶ୍ରୀଲଙ୍କା ସହିତ ଏକ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ । ଯେତେବେଳେ କି ଶ୍ରୀଲଙ୍କା ଦଳ ୫୫.୬୫ ପିସିଟି ସହିତ ଏହି ଟେବୁଲରେ ତୃତୀୟ ସ୍ଥାନରେ ଅଛି। ଏହିପରି, ବର୍ତ୍ତମାନ ଏହି ତିନୋଟି ଦଳର ଫାଇନାଲରେ ପ୍ରବେଶ କରିବାର ସର୍ବାଧିକ ସମ୍ଭାବନା ଅଛି।
ଇଂଲଣ୍ଡ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଦଳୀ ପିସିଟି ବିଜୟ ହାର ୪୨.୧୯ ରହିଛି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ଦଳ ପଞ୍ଚମ ସ୍ଥାନରେ ଥିବାବେଳେ ଏହା ପିସିଟି ୩୮.୮୯ ରହିଛି। ନ୍ୟୁଜିଲ୍ୟାଣ୍ଡର ଦଳ ୩୭.୫୦ ପିସିଟି ସହିତ ଷଷ୍ଠ ସ୍ଥାନରେ ରହିଛି। ଡବ୍ଲୁଟିସି ଫାଇନାଲ ପାଇଁ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ର ସମ୍ଭାବନା ପ୍ରାୟ ଶେଷ ହୋଇଛି। ସେମାନଙ୍କର ପିସିଟି ଯଥାକ୍ରମେ ୧୯.୦୫ ଏବଂ ୧୮.୫୨ ରହିଛି।

Leave a Reply

Your email address will not be published. Required fields are marked *