Bjd Sankha Bhawan 750x430 1

ବିଜେଡି ବିବାଦରେ ଆକ୍ସନ: ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

Spread the love

ଭୁବନେଶ୍ବର: ବିଜେଡି ଭିତର ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏବେ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ୪ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି । କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ବିବେକ ସ୍ବାଇଁ ଏବଂ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ରଙ୍କୁ ନୋଟିସ ଜାରି କରାଯାଇଛି । ଏମାନେ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହେବା ପରେ ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ।

ତେବେ ଶଙ୍ଖଭବନରୁ ଆରମ୍ଭ ହୋଇଥିବା ବିଜେଡି ବିବାଦ ଏବେ ତେଜିବାରେ ଲାଗିଛି । ବିରୋଧ ଓ ଆକ୍ରୋଶ ମନୋଭାବ ରଖି ମେଳି କରୁଛନ୍ତି ବିଭିନ୍ନ କର୍ପୋରେଟର ଓ ନେତା । ଯାହା ଦଳ ଭିତରେ ବିଶୃଙ୍ଖଳାକୁ ଇନ୍ଧନ ଦେଉଛି । ପୂର୍ବରୁ କର୍ପୋରେଟର ବିରଞ୍ଚି ମହାସୁପକାର ଓ ଅମରେଶ ଜେନାଙ୍କୁ ବିରୋଧ କରି ବିଦ୍ରାେହୀ ଆଖ୍ୟା ଦେଇଥିବା ବେଳେ ଆଜି ଅନ୍ୟ କର୍ପୋରେଟର ମାନେ ମିଳିତ ଭାବେ ପୁରୀ ଲୋକନାଥ ଦର୍ଶନ ପାଇଁ ସମସ୍ତେ ବାହାରିଥିବା ଜଣାପଡ଼ିଛି । ପାଖାପାଖି ୨୫ରୁ ୩୦ ବିଜେଡି କର୍ପୋରେଟର୍ସ ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କ ବିରୋଧରେ ମେଳି କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ସେମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବବା କହିଥିଲେ ମଧ୍ୟ ଏଥିରେ କନ୍ଦଳର ଗନ୍ଧ ବାରି ହେଉଛି ।

ତେବେ କହିରଖୁଛୁ, ବିଜେଡିର ବନ୍ଦ ଡାକରାକୁ ନେଇ ଗତ ୨୨ ତାରିଖରେ ଶଙ୍ଖ ଭବନରେ ବୈଠକ ଆୟୋଜିତ କରାଯାଇଥିଲା । ହେଲେ ବୈଠକ ବେଳେ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କର୍ପୋରେଟରମାନେ ତୀବ୍ର ବିରୋଧ କରିଥିଲେ। ଦଳ ବିରୋଧରେ କାମ କରୁଥିବା ଅଭିଯୋଗ ଆଣି ଏହି ଦୁଇ କର୍ପୋରେଟରଙ୍କୁ ବିରୋଧ କରି ଅନ୍ୟ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ବୈଠକରେ ହଙ୍ଗାମା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଓ ବିଧାୟକ ଅରୁଣ ସାହୁ ଘଟଣାରେ ହସ୍ତକ୍ଷେପ କରି କାଉନ୍‌ସିଲରଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *