Txma2knfedf2gtpn1ltn

ଢାକାର ପ୍ରାଚୀନ ମନ୍ଦିରକୁ ସୁରକ୍ଷା ଦେବାକୁ ଏକଜୁଟ ହେଲେ ହିନ୍ଦୁ-ମୁସଲମାନ

Spread the love

ଢାକା: ଶେଖ ହସିନାଙ୍କ ସରକାରର ପତନ ପରେ ବାଂଲାଦେଶରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଥିଲା। ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସହିତ ମନ୍ଦିର ଭଙ୍ଗାରୁଜା ହୋଇଥିଲା। କିନ୍ତୁ ସ୍ଥାନୀୟ ମୁସଲମାନମାନେ ଏବେ ମନ୍ଦିରଗୁଡିକର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେମାନେ ହିନ୍ଦୁମାନଙ୍କ ସହିତ ଏକଜୁଟ ହୋଇ ମନ୍ଦିର ସୁରକ୍ଷା କାର୍ଯ୍ୟ କରୁଛନ୍ତି।

ଢ‌ାକାରେ ଅବସ୍ଥିତ ପ୍ରାଚୀନ ଢାକେଶ୍ୱରୀ ମନ୍ଦିରର ସୁରକ୍ଷାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ଚିନ୍ତିତ ଥିଲେ, କିନ୍ତୁ ଏହି ମନ୍ଦିରର ସୁରକ୍ଷା ପାଇଁ ହିନ୍ଦୁ ଏବଂ ମୁସଲମାନମାନେ ଏକାଠି ହୋଇଥିଲେ। ମନ୍ଦିରର ଜଣେ ପୁରୋହିତ ଏହି ସୂଚନା ଦେଇଛନ୍ତି। ଢାକାର ଢାକେଶ୍ୱରୀ ମନ୍ଦିର ହେଉଛି ଶକ୍ତି ପୀଠ ଏବଂ ବାଂଲାଦେଶରେ ବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଏକ ପ୍ରମୁଖ ମନ୍ଦିର।

ବାଙ୍ଗଲାଦେଶରେ  ହିଂସା ପରିସ୍ଥିତି ବିଷୟରେ ମନ୍ଦିରର ଜଣେ ପୁରୋହିତ କହିଥିଲେ। ପୁରୋହିତ ଅସୀମ ମିତ୍ର କହିଛନ୍ତି ବିଭିନ୍ନ ଧର୍ମର ଲୋକମାନେ ଏଠାରେ ପ୍ରାର୍ଥନା କରିବାକୁ ଆସନ୍ତି। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ ଧର୍ମର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ମା’ ସମସ୍ତ ମଣିଷର ମାତା ଅଟନ୍ତି। ଲୋକମାନେ ଶାନ୍ତି ଏବଂ ସମୃଦ୍ଧିର ଆଶୀର୍ବାଦ ପାଇବାକୁ ଏଠାକୁ ଆସନ୍ତି। ସେ କହିଛନ୍ତି ଯେ  ଗତ ୧୫ ବର୍ଷ ଧରି ଏହି ମନ୍ଦିରରେ ମୁଁ ପୁରୋହିତ ଭାବେ କାର୍ଯ୍ୟ କରୁଛି। ଏହି ମନ୍ଦିର ସାମ୍ପ୍ରଦାୟିକ ସମନ୍ୱୟର ପ୍ରତୀକ । ମନ୍ଦିର ଚାରିପାଖରେ ଅନେକ ମସଜିଦ ଅଛି। ମସଜିଦରେ ମଗରିବ୍ ସନ୍ଧ୍ୟା ନମାଜର ଅଧ ଘଣ୍ଟା ପରେ ପ୍ରାୟ ୭ଟା ସମୟରେ ଢାକେଶ୍ୱରୀ ମନ୍ଦିରରେ ସନ୍ଧ୍ୟା ଆରତି ଅନୁଷ୍ଠିତ ହୋଇଥାଏ।

ପୁରୋହିତ କହିଛନ୍ତି ଯେ ଯେତେବେଳେ ଅଗଷ୍ଟ ୫ ରେ ହିଂସା ଘଟୁଥିଲା ଏବଂ ଶେଖ ହସିନା ଇସ୍ତଫା ଦେଇ ଚାଲି ଯାଇଥିଲେ, ସେତେବେଳେ ସେ ମନ୍ଦିର ପରିସରରେ ଉପସ୍ଥିତ ଥିଲେ। ମୁଁ ସେତେବେଳେ ନିଜ ବିଷୟରେ ଚିନ୍ତିତ ନ ଥିଲି, କିନ୍ତୁ ଏହି ପ୍ରାଚୀନ ମନ୍ଦିର ଏବଂ ଏଠାରେ ଥିବା ଦେବତା ଏବଂ ଦେବୀଙ୍କ ପ୍ରତିମା ବିଷୟରେ ଚିନ୍ତିତ ଥିଲି। କିନ୍ତୁ ସ୍ଥାନୀୟ ଲୋକ ଆମକୁ ସାହାଯ୍ୟ କରିଥିଲେ।

ମୁସଲମାନ, ହିନ୍ଦୁ ଏବଂ ଅନ୍ୟ ଧର୍ମର ଲୋକମାନେ ଏକତ୍ରିତ ହୋଇ ମନ୍ଦିରର ସୁରକ୍ଷା ପାଇଁ ଏକଜୁଟ ହୋଇଥିଲେ। ଯେପରି କେହି ମନ୍ଦିରକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ ସଭିଏଁ ମିଳିମିଶି ମନ୍ଦିରକୁ ସୁରକ୍ଷା ପ୍ରଦାନ କରିଥିଲେ। ମନ୍ଦିରରେ କୌଣସି ଅଘଟଣ ଘଟିନାହିଁ। ମନ୍ଦିରରେ ନିରନ୍ତର ପୂଜା ଚାଲିଛି ଏବଂ ସାଧାରଣ ଦିନ ଭଳି, ମାତା ଦେବୀଙ୍କୁ ମଧ୍ୟ ଭୋଗ ଲାଗି ହୋଇଥିଲା। ଏଥିରେ କୌଣସି ବ୍ୟତିକ୍ରମ ହୋଇ ନ ଥିଲା।

ଯେତେବେଳେ ବାଂଲାଦେଶରେ ହିଂସା ଦେଖାଦେଇଥିଲା, ଭୟ ଯୋଗୁ ଖୁବ୍ କମ୍ ଲୋକ ମନ୍ଦିରକୁ ଆସିଥିଲେ।  କିନ୍ତୁ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବାପରେ ଲୋକମାନେ ପୁନର୍ବାର ମନ୍ଦିରକୁ ଅଧିକ ସଂଖ୍ୟାରେ ଆସୁଛନ୍ତି। ପୁଲିସ୍‌ଙ୍କ ମୁତୟନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ନୋବେଲ ବିଜେତା ମହମ୍ମଦ ୟୁନୁସ ମଧ୍ୟ ଢାକେଶ୍ୱରୀ ମନ୍ଦିର ପରିଦର୍ଶନ କରି ଏଠାରେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ମହମ୍ମଦ ୟୁନୁସ୍ ନିଶ୍ଚିତ କରିଥିଲେ। ପୁରୋହିତ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ପ୍ରତିବର୍ଷ ଏଠାରେ ଦୁର୍ଗା ପୂଜା ଏବଂ ଅନ୍ୟାନ୍ୟ ପର୍ବ ପାଳନ କରାଯାଏ।

ବର୍ତ୍ତମାନ ୨୬ ଅଗଷ୍ଟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ପରାମର୍ଶଦାତା ତଥା ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଏବଂ ସୂଚନା ପରାମର୍ଶଦାତା ନାହିଦ ଇସଲାମ ମଧ୍ୟ ଢାକେଶ୍ୱରୀ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *