17 1 750x430

ଗାଡ଼ି ପାର୍କିଂକୁ ନେଇ ଡବଲ ମର୍ଡ଼ର: ଦୁଇ ଅଭିଯୁକ୍ତ ଅଟକ

Spread the love

ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଗାଡ଼ି ପାର୍କିଂକୁ ନେଇ ଦୁଇ ପରିବାରର ଭିତରେ କଥା କଟାକଟିରୁ ଗଣ୍ଡଗୋଳ ହୋଇଥିଲା।
ପାର୍କିଂକୁ ନେଇ ଗଣ୍ଡଗୋଳରୁ ଦୁଇଜଣଙ୍କ ଛାତିରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ମୃତ ସମ୍ବିତ ରାଉତ ଓ ରଶ୍ମୀ ରଞ୍ଜନ ସେଠିଙ୍କ ପରିବାରର ଅଭିଯୋଗକୁ ନେଇ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି। ବୁଧବାର ରାତି ୮ ରୁ ୮. ୩୦ ଭିତରେ ଏହି ଅଭାବନୀୟ ଘଟଣା ଘଟିଥିଲା।
ରଶ୍ମୀ ତାଙ୍କ ସାଙ୍ଗ ଯାଗାରେ ପାର୍କିଂ କରିଥିଲେ। ସୁପର ଭାଇଜର ଜଣକ ଗାଡ଼ି ହଟାଇବାକୁ କହିଥିଲେ। ଗାଡ଼ି ହଟାଇବାକୁ ମନା କରିବାରୁ ମୁଖ୍ୟ ଅଭିଯୁକ୍ତ ଗଣେଶ ମଲ୍ଲିକ ତାଙ୍କୁ ଛୁରୀ ମାଡ଼ କରିଥିଲେ। ଗଣେଶ ପରିବାର ଓ ରଶ୍ମୀଙ୍କ ପରିବାର ଭିତରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା।
ହତ୍ୟାକାଣ୍ଡରେ ୩ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ତଦନ୍ତ ବେଳେ ଜଣା ପଡିଛି। ସେମାନେ ସମସ୍ତେ ଗୋଟିଏ ପରିବାରର । ସାଇଣ୍ଟିଫିକ ଟିମ୍ ପ୍ରମାଣ ଯୋଗାଡ଼ କରିଛି। ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ ଚାଲିଛି। ପୁଲିସ୍ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ବୋଲି ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, କଲ୍ୟାଣୀ ପ୍ଲାଜା ନିକଟରେ ରଶ୍ମୀ ରଞ୍ଜନଙ୍କର ଏକ ଦୋକାନ ରହିଛି। ପ୍ରତିଦିନ ରଶ୍ମୀ ପ୍ଲାଜା ନିକଟରେ ନିଜ କାର୍‌ ରଖି ଦୋକାନ ଆସିଥାନ୍ତି। ହେଲେ କଲ୍ୟାଣୀ ପ୍ଲାଜାର ମେଣ୍ଟେନାସ୍ ଦାୟିତ୍ୱରେ ଥିବା ବାପି(ଗଣେଶ) ଏହାକୁ ବିରୋଧ କରୁଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ବାପି ଓ ରଶ୍ମୀଙ୍କ ମଧ୍ୟରେ ବଚସା ହୋଇଛି। ବୁଧବାର ମଧ୍ୟ ରଶ୍ମୀ ନିଜ କାର୍‌କୁ କଲ୍ୟାଣୀ ପ୍ଲାଜା ନିକଟରେ ପାର୍କିଂ କରିଥିଲେ। ଏହାଦେଖି ବାପି ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ରଶ୍ମୀଙ୍କ କାର୍‌କୁ ଗୋଇଠା ମାରିବା ସହ ଗାଡ଼ି କାଢ଼ିବାକୁ ରଶ୍ମୀଙ୍କୁ କହିଥିଲେ।
ଏହାକୁ ନେଇ ବାପି ଓ ରଶ୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ରଶ୍ମୀ ବାପିଙ୍କୁ ଏକ ଚାପୁଡ଼ା ମାରିଥିଲେ। ବାପି଼ ଉତକ୍ଷିପ୍ତ ହୋଇ ୩ରୁ ୪ଜଣ ସାଙ୍ଗକୁ ଫୋନ୍‌ କରି ଡାକିଥିଲେ। ବାପିଙ୍କ ସାଙ୍ଗମାନେ ମାରଣାସ୍ତ୍ର ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେମାନେ ରଶ୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏହି ସମୟରେ ରଶ୍ମୀଙ୍କ ସହଯୋଗୀ ଜୁଲୁ(ସମ୍ବିତ) ଏହା ଦେଖି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ଜୁଲୁଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରଶ୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜୁଲୁଙ୍କୁ ମୃତ ଘୋଷଣା କରିଥିଲେ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଗତକାଲି ରାତିରେ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଥିଲେ।

Leave a Reply

Your email address will not be published. Required fields are marked *